ବିଦ୍ୟା ଦଦାତି ବିନୟମ୍

ବିଦ୍ୟା ଦଦାତି ବିନୟମ୍

କାଳିଦାସ — ମା’, ମତେ ବଡ଼ ଶୋଷ। ଟିକେ ପାଣି ଦିଅ। ବହୁତ ପୁଣ୍ୟ ହେବ।

ବୁଢ଼ୀ — ପୁଅ, ତୁମକୁ ତ ମୁଁ ଚିହ୍ନେ ନା, ନିଜର ପରିଚୟ ଦିଅ। ମୁଁ ତୁମକୁ ନିଶ୍ଚୟ ପାଣି ପିଆଇବି।

କାଳିଦାସ କହୁଛନ୍ତି — ମୁଁ ବାଟୋଇ, ଦୟା କରି ପାଣି ଟିକିଏ ଦିଅ।

ବୁଢ଼ୀ କହୁଛନ୍ତି — ତୁମେ ବାଟୋଇ କେମିତି ହୋଇ ପାରିବ ? ବାଟୋଇ ତ ମାତ୍ର ଦୁଇଜଣ। ଜଣେ ସୂର୍ଯ୍ୟ ☀️ ଆଉ ଜଣେ ଚନ୍ଦ୍ର🌙। ଏମାନେ ସବୁବେଳେ ଚାଲୁ ଥାଆନ୍ତି। କେବେ ଅଟକନ୍ତି ନାହିଁ। ତୁମେ ଏ ଦୁହିଙ୍କ ଭିତରୁ କିଏ, ସତ କରି କୁହ ?

କାଳିଦାସ — ମୁଁ ତା’ହେଲେ ଜଣେ ଅତିଥି, ବଡ଼ ଶୋଷ। ଦୟା କରି ପାଣି ଟୋପାଏ ପିଇଵାକୁ ଦିଅ।

ବୃଦ୍ଧା କହୁଛନ୍ତି — ତୁମେ ଅତିଥି କେମିତି ହୋଇ ପାରିବ ! ସଂସାରରେ ଦୁଇ ଜଣ ମାତ୍ର ଅତିଥି। ଜଣେ ଧନ ଓ ଆଉ ଜଣେ ଯୌବନ। ଏମାନେ ଆସନ୍ତି ଆଉ ଚାଲି ବି ଯାଆନ୍ତି। ସତ କୁହ, ତୁମେ କିଏ ?

କାଳିଦାସ ଯୁକ୍ତିରେ ପରାଜିତ, ହତାଶ ହୋଇ କହିଲେ — ମୁଁ ଜଣେ ସହନଶୀଳ ବ୍ୟକ୍ତି, ଏଥର ଅନ୍ତତଃ ଟିକିଏ ପାଣି ଦିଅ !

ୁଢ଼ୀ କହୁଛନ୍ତି — ନା, ନା ! ସହନଶୀଳ ତ ମାତ୍ର ଦୁଇ ଜଣ, ଜଣେ ପୃଥିବୀ, ଯେ ମହପାପୀ ଓ ପୁଣ୍ୟବନ୍ତ ସମସ୍ତଙ୍କର ଭାର ବୋହିଥାନ୍ତି ଏବଂ ଦ୍ଵିତୀୟଟି ହେଲା ବୃକ୍ଷ — ତା ଉପରକୁ ଯେତେ ବି ଢେଲା ମାରି ଆଘାତ କଲେ ମଧ୍ୟ ସେ ମିଠାମିଠା ଫଳ ଦେବା ବନ୍ଦ୍ କରେନା। ସତ କୁହ, ତୁମେ କିଏ ?

କାଳିଦାସ ବିରକ୍ତ ହୋଇ ବଡ଼ ପାଟିରେ କହି ଉଠିଲେ — ତା’ହେଲେ ମୁଁ ହେଉଛି ଜିଦଖୋର୍ । ଏଥର ତ ପାଣି ଟିକିଏ ଦିଅ !

ବୁଢ଼ୀ କହିଲେ — ତୁମେ ମିଛ କହୁଛ। ଜିଦଖୋର୍ ମାତ୍ର ଦୁଇ ଜଣ। ଜଣେ ନଖ ଓ ଆଉ ଜଣେ ହେଲେ କେଶ। ଏମାନଙ୍କୁ ଯେତେ ବି କାଟ, ସେମାନେ ପୁଣି ବଢ଼ି ଚାଲିବେ। ବ୍ରାହ୍ମଣ, ସତ କରି କୁହ, ତୁମେ କିଏ ?

ଅପମାନିତ, ପରାଜିତ ହୋଇ କାଳିଦାସ କହିଲେ — ତା’ହେଲେ ଧରିନିଅନ୍ତୁ ମୁଁ ମୂର୍ଖ, ଏଥର ତ ପାଣି ମୁନ୍ଦେ ମିଳୁ ?

ବୁଢ଼ୀ କହିଲେ — ତୁମେ ମୂର୍ଖ କେମିତି ହୋଇ ପାରିବ ? ମୂର୍ଖ ତ ମାତ୍ର ଦୁଇ ଜଣ। ଜଣେ ହେଲେ ରାଜା, ଯାହାର କୌଣସି ଯୋଗ୍ୟତା ନ ଥାଇ ମଧ୍ୟ ସମସ୍ତଙ୍କ ଉପରେ ଶାସନ କରେ। ଆଉ ଜଣେ ହେଲେ ରାଜ ପୁରୋହିତ ଯେ କେବଳ ରାଜାଙ୍କୁ ଖୁସି କରିବା ପାଇଁ ଭୁଲ୍ ଭାଲ୍ ଯୁକ୍ତିର ସାହାଯ୍ୟ ନେଇ ଭୁଲ୍ କୁ ଠିକ୍ ବୋଲି ପ୍ରମାଣିତ କରିବାର ଚେଷ୍ଟା କରନ୍ତି !

କାଳିଦାସ ଆଉ କିଛି କହି ନ ପାରି ସିଧା ବୃଦ୍ଧାଙ୍କ ପାଦ ତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ ।

ବୃଦ୍ଧା କହି ଉଠିଲେ — ଉଠ ବତ୍ସ !
ବୃଦ୍ଧାଙ୍କ ପରିବର୍ତ୍ତିତ କଣ୍ଠସ୍ବର ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ କାଳିଦାସ ଆଖି ଖୋଲି ଦେଖନ୍ତି ସାମ୍ନାରେ ଦଣ୍ଡାୟମାନ ମାଆ ସରସ୍ଵତୀ !

କାଳିଦାସ ଯୋଡ଼ ହସ୍ତରେ କ୍ଷମା ଭିକ୍ଷା କଲେ।

ମାଆ କହିବାକୁ ଆରମ୍ଭ କଲେ — ବତ୍ସ ! ସବୁବେଳେ ମନେ ରଖିବ ବିଦ୍ୟା କେବେ ହେଲେ ଗର୍ବ ବା ଅହଙ୍କାର ଦିଏ ନାହିଁ। ଯାହା ଶିକ୍ଷା ଦିଏ ତାହା ହେଲା ବିନୟ ଭାବ ବା ନମ୍ରତା !

ଏ ଦୁଇଟି ଗୁଣ ଯାହା ପାଖରେ ନାହିଁ ସେ ଯେତେ ଶିକ୍ଷିତ ହେଲେ ମଧ୍ୟ ଜ୍ଞାନୀ ନୁହଁନ୍ତି। ସେ ପ୍ରକୃତ ଶିକ୍ଷା ଲାଭ କରି ନାହାଁନ୍ତି।

ବିଦ୍ୟା ଦଦାତି ବିନୟମ୍ !