ବିଚିତ୍ର ଦୁନିଆ

ବିଚିତ୍ର ଦୁନିଆ

ଆକାଶ ରେ ଆଉ ଉଡ଼ୁ ନାହିଁ ପକ୍ଷୀ
ବିଲରେ ଦିଶୁନି ମାଛ
ଗାଁ ଗୋହିରୀ ରେ ବଗ ବସୁନାହିଁ
ଚାରିଆଡ଼େ ଖାଲି ମିଛ।

ସାରୁ ବୁଦା ମୂଳେ ବେଙ୍ଗ ରାବୁ ନାହିଁ
*କୋଇଲି ଗାଉନି ଗୀତ
ଗାଁ ରାସ୍ତା ଆଉ କାଦୁଅ ହେଉନି
ଭିକାରୀ ମାଗୁନି ଭାତ।

ଗାଁ ଖଳାରେ ବି ବେଙ୍ଗଳା ପଡ଼ୁନି
ଶୁଭୁନି ଶଗଡ଼ ଶବ୍ଦ
ଗୁହାଳ ରେ ଆଉ ଗାଈ ଦିଶୁନାହିଁ
ନାହାନ୍ତି ଆଉ ବଳଦ।

ଚୁଲି ରନ୍ଧା ଏବେ ସପନ ହେଲାଣି
ନାହିଁ ବିରିଡାଲି ବାସ୍ନା
ଚୂନା ମାଛ ଆଉ ହାଟରେ ମିଳୁନି
ନାହିଁ ସେ ପୁରୁଣା ଜ୍ୟୋତ୍ସ୍ନା।

ଚଉଁରା ମୁରୁଜ ଉଭେଇ ଗଲାଣି
ମଥାରେ ନାହିଁ ସିନ୍ଦୁର
ଋତୁଚକ୍ର ଏବେ ଓଲଟି ଗଲାଣି
ଚାରିଆଡ଼େ ହାହାକାର।

ଗାଈଆଳ ଟୋକା ଗାଉନାହିଁ ଗୀତ
ନାହିଁ ସେ ଶାରଦ ଧାନ
ଗାଁ ଗଡ଼ିଆରେ କଇଁ ଫୁଟୁନାହିଁ
ଭାଗବତ ଟୁଙ୍ଗୀ ଶୁନ୍ୟ।

ଗାଁ ଗଣ୍ଡା ହେଲା କୋଠା ମାଳମାଳ
ମଦରେ ହୋଇଲେ ଭୋଳ
ପୋଖରୀ ରେ ଆଉ ପଦ୍ମ ଫୁଟୁନାହିଁ
ଦିଶୁନାହିଁ ଆଉ ଚାଳ।

ଗାଁ ବିଲରେ ସେ କ୍ଷେତ ବଢ଼ୁନାହିଁ
ଉଡ଼ୁ ନାହିଁ ଶଙ୍ଖ ଚିଲ
ଡେଙ୍ଗା ତାଳଗଛ ଉଜୁଡ଼ି ଗଲାଣି
ନାହିଁ ସେ ଶାଗୁଣା ପଲ।

ଗାଁ ଖଳାରେ ବି ବଦାଡ଼ି ବସୁନି
କାହିଁ ପୂର୍ବ ଓଷାବ୍ରତ
ଚାଳ ଉପରେ ବି କୁଆ ରାବୁନାହିଁ
ନାହିଁ ସେ ପଖାଳ ଭାତ।

ବର୍ଷାଦିନେ ଆଉ ନଦୀ ବଢ଼ୁନାହିଁ
ନାହିଁ ସେ ପୁରୁଣା ଶୀତ
ବଂଶୀଖଡ଼ା ଏବେ ସପନ ହେଲାଣି
କାହିଁ ସେ ସଇ ସଂଗାତ।

ଗାଁ ପଡ଼ିଆରେ କନ୍ଦୁକ ପଡ଼ୁନି
ନାହିଁ ସେ ସଞ୍ଜ ଗୋଧୂଳି
ଦାଣ୍ଡ ବାରଣ୍ଡା ରେ ପ୍ରାର୍ଥନା ଶୁଭୁନି
କାହିଁ ସେ ଘିଅ ଦୀପାଳି।

ଭଜନ ଜଣାଣ ଆଉ ସଂକୀର୍ତ୍ତନ
ବେସୁରା ସବୁ ହେଲାଣି
ଭାବମୂର୍ତ୍ତି ଏଠି ବଦଳି ଗଲାଣି
ଶାନ୍ତି ଉଭେଇ ଗଲାଣି।

ଅସୁରୁଣୀ ଗପ କିଏବା କହିବ
ଟିଭି ରେ ସମସ୍ତେ ବାଇ
ବାଇ ଚଢ଼େଇର ବସା ଦିଶୁନାହିଁ
ସବୁଆଡ଼େ ହାଇଁ ପାଇଁ।

ଶାସନ ଟା ଏବେ ଶ୍ରୀହୀନ ଦିଶୁଛି
ଶାଶୁ ପିନ୍ଧୁଛି ନାଇଟି
ଶାଗ ପଖାଳ ଯେ ଚୁଲିକି ଗଲାଣି
ସମସ୍ତେ ଚାଲିଲେ ବିୟୁଟି।

ଡାକ ପିଅନ ଟି ଚିଠି ଆଣୁନାହିଁ
ମୋବାଇଲ ହେଲା କାଳ
ବାଟରେ ଘାଟରେ ଡିସ୍କୋଡ୍ୟାନ୍ସ ଚାଲେ
ସଂଗୀତ ରେ ନାହିଁ ତାଳ।

ବାରମାସ ରେ ଯେ ତେରପର୍ବ ଏଠି
ସାତ ସପନ ହେଲାଣି
ସଜ ମାଛରେ ବି ପୋକ ପଡ଼ିଯାଏ
ମାୟାରେ ବାୟା ହେଲେଣି।

ବିଲରେ କେଉଁଠି ହଳ ଦିଶୁନାହିଁ
ନାହିଁ ସେ ହଳିଆ ଭାଇ
ଘର ପଛପଟେ ଢିଙ୍କି କୁଟୁ ନାହିଁ
ସବୁ ଗଲାଣି ଉଭେଇ।

ରୋଗ ବ୍ୟାଧି ଏବେ ପ୍ରବଳ ମାତିଛି
ତା’ପାଇଁ ଔଷଧ ନାହିଁ
ଏଡ୍ସ ପ୍ରେସର କ୍ୟାନ୍ସର ଡାଇବେଟିସ୍
ଯାଉଛି ଜୀବନ ନେଇ।

ନାହିଁ ଚାଟଶାଳୀ ଗାଁ ମୁଣ୍ଡେ ଆଉ
ନାହିଁ ସେ କାଳି କଲମ ବେତାର ଯନ୍ତ୍ରର ବିଲୋପ ହେଲାଣି
ଯୁବ ବାଣୀ କାର୍ଯ୍ୟକ୍ରମ।

ଗାଁ ମୁଣ୍ଡେ ଆଉ ବସୁନାହିଁ ହାଟ
ଚାଷୀ ବୁଜୁନାହିଁ ବାଡ଼
ଦଳର ମୁଖିଆ ଶିକ୍ଷା ଦେଉଥିବା
ଦିଶୁନି ବୁଢ଼ା ମାଙ୍କଡ଼।

ପୁରାଣ ଶାସ୍ତ୍ରରେ ମନ ବଳୁନାହିଁ
ପାଲା ଯେ ଟାହି ଟାପରା
ଯାତ୍ରା ଦୃଶ୍ୟପଟ୍ଟ ବଦଳି ଗଲାଣି
କଳାରେ କଳଙ୍କ ଭରା।

କାଳିଆ ପାଖରେ ମନ ଆଉ ନାହିଁ
ବାବାଜୀ ପଛରେ ବାଇ
ବ୍ରାହ୍ମଣ ପାଠୁଆ ହୋଇଲେ କି ହେବ
ମନ୍ତ୍ର ପାଠ ଜାଣୁ ନାହିଁ।

ଘାଟତୁଠ କୁ ତ ବାରିକ ଆସୁନି
ରଜକ ଦେଉନି ପାଣି
ରାଇଜ ଯାକର ଯେତେକ ନିୟମ
ସବୁ ବଦଳି ଗଲାଣି।

ଏକାଠି ବସିବା ଏକାଠି ଖାଇବା
ପରିବାର ମଧ୍ୟେ ନାହିଁ
ସୁନ୍ଦର ସମ୍ପର୍କ ଦୂରେଇ ଗଲାଣି
କଳିଯୁଗ ଦ୍ୱାହି ଦେଇ।

ଜୀବନ ର ମାନେ ସଂସାର ଜଞ୍ଜାଳ
ସମସ୍ତଙ୍କୁ ଥିଲା ଜଣା
କୃତ୍ରିମ ଜୀବନ ଜୀଇଁବାକୁ ଏଠି
ଲାଗୁଛି ଭାରି ଯନ୍ତ୍ରଣା।

ଜୀବନଟା ଏଠି ମରୁଭୂମି ଲାଗେ
ମିଛ ମରୀଚିକା ଭଳି
ଦି ଦିନ ଦୁନିଆ ଏହି ସଂସାର କୁ
ତଥାପି ପାରୁନି ଭୁଲି।

ସବୁଜ ସୁନ୍ଦର ସୁନାର ପୃଥିବୀ
ଚିତ୍ର ବଦଳି ଗଲାଣି
ବିଚିତ୍ର ଦୁନିଆ ଜୀବଜଗତ କୁ
ନର୍କ କୁ ଠେଲି ଦେଲେଣି