କିଏ ପର
କିଏ ଆପଣାର…………
ଏ ମାୟା ସଂସାର କିଏ ଯେ କାହାର
କିଏ କହେ ମୁଁ ତୁମ ନିଜର
ନିଜର ବୋଲି ଯେ କାହାକୁ କହିବୁ
ଜାଣିବାଟା କଷ୍ଟକର ।
ଭଂଗା ହୃଦୟକୁ ସଜାଡି ଚାଲିଛି
ବଂଚିବାର ରାହା ନେଇ
ଅଥଳ ସାଗରେ କୁଟା ଖିଅ ଖୋଜେ
କୂଳରେ ଲାଗିବା ପାଇଁ ।
କେହି ବୁଝନ୍ତିନି ମୋ ଅନ୍ତର କୋହ
ନୀରବ ରହିଲେ ଭଲ
ସବୁରି ମୁଁ ପର ନୁହେଁ କା ନିଜର
ହୁଏ ମୁହିଁ ମୂଲ ଚାଲ ।
ଦୋଷ ନକରି ବି ଦୋଷୀ ହୁଏ ମୁହିଁ
ସବୁ ସମ୍ପର୍କରେ ସ୍ୱାର୍ଥ
ଯାହାକୁ ନିଜର କରିବାକୁ ଚାହେଁ
ବୁଝେନା ମୋ ସ୍ନେହ ଅର୍ଥ ।
ଭାରି କଷ୍ଟ ଲାଗେ ଭାଂଗିଲେ ସମ୍ପର୍କ
ଆପଣା ଲାଗନ୍ତି ପର
ଯୋଡିବାକୁ ଏଠି କେହି ଚାହାଁନ୍ତିନି
ସବୁରି ମନେ ଜହର ।
ଧନ ଓ ସମ୍ପତ୍ତି ପଦ ଓ ପ୍ରତିଷ୍ଠା
ସବୁ ଦିନେ ହୁଏ ପର
ସ୍ୱାର୍ଥ ସରିଗଲେ ଭୁସୁଡି ପଡେଟି
ସମ୍ପର୍କର ବାଲିଘର ।
ବିପଦ ବେଳରେ ଜଣାପଡେ ସିନା
କିଏ ଆପଣା କିଏ ପର
ଜୀବନର ଏଇ ଦୋଛକିରେ ମୁହିଁ
କରୁଛି ବସି ବିଚାର ।
ଜନମ ନେଇଛି ବଂଚିବାର ଅଛି
ସଭିଂକୁ କରି ନିଜର
ଭଲ କର୍ମ କରି ଚାଲୁଥିବି ସଦା
କର୍ମରେ ଭରସା ମୋର ।
ଆଶା କଲେ ସିନା ଦୁଃଖ ପାଇବିମୁଁ
କରିବିନି କିଛି ଆଶା
ଯାହା ମିଳୁଥିବ ସନ୍ତୁଷ୍ଟ ହେବି ମୁଁ
କାଳିଆ ସାହା ଭରସା ।
ଜୟ ଶ୍ରୀଜଗନ୍ନାଥ