ମା’ ମନ

ମା’ ମନ

ମାଆର ମମତା ମାଆର ଶରଧା
ଊଣା ହୁଏ ନାହିଁ କେବେ
ମାଆ ପରି ସତେ ନିଜର ଜଣେ ବି
କେହି ବି ନାହାଁନ୍ତି ଭବେ ।

ଯେତେ ବାଧା ବିଘ୍ନ ଆସୁ ଏ ଜୀବନେ
ମାଆ କଥା ଭୁଲ ନାହିଁ
ମାଆ ଋଣ ଶୁଝିବାକୁ ଏ ମହୀରେ
କେହି ବି ଜନମି ନାହିଁ ।

ଯେତେ ବଡ ପଦେ ଥାଅ ପଛେ ତୁମେ
ମାଆ ପାଖରେ ତ ଛୁଆ
ଭୁଲି ନିଜର ସେ ଦି ଦିନିଆ ପଦ
ମା ପାଖେ ହୁଅ ଠିଆ ।

ଚିର ଦୟାମୟୀ କ୍ଷମାର ମୂରତୀ
ମାଆ ଅଟେ ସର୍ବଂସହା
ମାଆ ବୋଲି ଥରେ ଡାକିଦେଲେ ମନେ
ମିଳଇ ମନକୁ ରାହା ।

ମାଆର ମମତା ହୃଦୟର ବ୍ୟଥା
ନିମିଷକେ କରେ ଦୂର
ପଣତ କାନିରେ ଆଖିଲୁହ ପୋଛି
କୁଣ୍ଢେଇ କରେ ଆଦର ।

ରୋଗ ଯନ୍ତ୍ରଣାରେ ସେବା କରିଥାଏ
ଶୋଇବା ଖାଇବା ଭୁଲି
ସନ୍ତାନ ଦୁଃଖରେ ଲୁହ ଝରାଇଲେ
କହେ ଆଖିରେ ପଡିଛି ବାଲି ।

ମାଆର ମମତା ବୁଝିନପାରିଲେ
କରିବାକୁ ହେବ ଅବଶୋଷ
ମାଆ ଚାଲିଗଲେ ମାଆର ମମତା
ରହିଯିବ ହୋଇ ଆକଣ୍ଠ ଶୋଷ ।

ମାଆ ପରି କେହି ନାହିଁ ଜଗତରେ
ଶିକ୍ଷା ଦୀକ୍ଷା ଦେଇ କରେ ମଣିଷ
ବାରମାସେ ତେର ବ୍ରତ ଉପବାସେ
ସନ୍ତାନ ପାଇଁ ମାଗେ ଆଶିଷ ।

ମାଆ ମନେ କେବେ ଦିଅନାହିଁ ଦୁଃଖ
ନାହିଁ କେହି ତାହା ଚୁଲ
ନିଷ୍ପାପ ହୃଦୟ ମାଗେନାହିଁ ମୂଲ
ତା ମମତା ଅମୂଲମୂଲ ।