ଯେଉଁ ଜାତି ….
ଅନ୍ୟର ସଂସ୍କୃତିକୁ ଆପଣେଇବାରେ ଗର୍ବ ଅନୁଭବ କରେ,
କିନ୍ତୁ
ନିଜ ସଂସ୍କୃତିକୁ ଜାଣିବା ଓ ଜୀବନ୍ତ ରଖିବାରେ ଉଦାସୀନ ହୁଏ, ସେହି ଜାତି ପାଇଁ ସବୁଠାରୁ ବଡ଼ ସଙ୍କଟ …
ବାହାରୁ ନୁହେଁ… ବରମ ତାହା ନିଜ ଲୋକଙ୍କ ଦ୍ୱାରା ଓ
ନିଜ ଭିତରୁ ହିଁ ଆରମ୍ଭ ହୁଏ।
ଅନ୍ୟର ସଂସ୍କୃତିକୁ ସମ୍ମାନ କରିବା ଉଦାରତା;
କିନ୍ତୁ
ନିଜ ସଂସ୍କୃତିକୁ ଅବହେଳା କରି , ଅନ୍ୟର ଅନ୍ଧ ଅନୁକରଣ କରିବା କେବେ ବି ପ୍ରଗତିଶୀଳତା ନୁହେଁ…ଏହା ସାଂସ୍କୃତିକ ଅବକ୍ଷୟ ଓ ନିଜ ଅସ୍ମିତାର ଆତ୍ମବିସ୍ମୃତି।
ଆଜି ଆମେ ଆଧୁନିକ ହେବାକୁ ଚାହୁଁଛୁ,
ବିଶ୍ୱ ସହ ତାଳ ଦେଇ ଚାଲିବାକୁ ଚାହୁଁଛୁ,
ଅନ୍ୟ ରାଜ୍ୟର ପରମ୍ପରାକୁ ଜାଣିବାକୁ ଓ ଆପଣେଇବାକୁ ଚାହୁଁଛୁ। ଏଥିରେ ଆପତ୍ତର କିଛି ନାହିଁ।
କିନ୍ତୁ
ଏହି ଆଧୁନିକତାର ଦୌଡ଼ରେ ଆମେ କ’ଣ ନିଜର ମୌଳିକ ପରିଚୟକୁ ପଛରେ ଛାଡ଼ି ଦେବା ଠିକ କି ?
ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି…
ମୋର ପ୍ରଶ୍ନ …. ଦାଣ୍ଡିଆ କିମ୍ବା ଗର୍ବାକୁ ନେଇ ନୁହେଁ;
ପ୍ରଶ୍ନ ହେଉଛି…. ଅନ୍ୟର ସଂସ୍କୃତିକୁ ଆପଣେଇବାର ଉତ୍ସାହରେ ଆମେ ନିଜର ସଂସ୍କୃତିକୁ କେଉଁଠି ରଖୁଛୁ ???
ଆଜି ଓଡ଼ିଶାରେ ନବରାତ୍ରି ଅବସରରେ ଦାଣ୍ଡିଆ, ଗର୍ବା, ଆକର୍ଷଣୀୟ ପୋଷାକ, DJ ଓ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ପ୍ରତି ବଢ଼ୁଥିବା ଆକର୍ଷଣକୁ ନେଇ ଆପତ୍ତି ନାହିଁ।
ଅନ୍ୟ ସଂସ୍କୃତିକୁ ଜାଣିବା, ଶିଖିବା ଓ ଆପଣେଇବା ଏକ ସୁସ୍ଥ ସାଂସ୍କୃତିକ ଆଦାନପ୍ରଦାନ।
କିନ୍ତୁ ପ୍ରଶ୍ନ ହେଉଛି….
ଅନ୍ୟର ପରମ୍ପରାକୁ ଆପଣେଇବାରେ ଆମର ଯେତିକି ଉତ୍ସାହ, ନିଜର ଓଡ଼ିଆ ଅସ୍ମିତାକୁ ଜାଣିବା, ସଂରକ୍ଷଣ କରିବା ଓ ଗର୍ବର ସହ ଆଗକୁ ନେବାରେ ଆମର ସେତିକି ଆଗ୍ରହ ଅଛି କି?
ଆମର ନିଜସ୍ୱ ସାଂସ୍କୃତିକ ଐତିହ୍ୟ କ’ଣ କମ୍ ସମୃଦ୍ଧ କି ?
ଆମର ରଜପର୍ବ…. ପ୍ରକୃତି ଓ ନାରୀତ୍ୱର ଉତ୍ସବ।
ମାଣବସା ଗୁରୁବାର …. ଆମର ଆସ୍ଥା ଓ ପାରମ୍ପରିକ ଜୀବନଶୈଳୀର ପ୍ରତୀକ।
ରଥଯାତ୍ରା …. ଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ପରିଚୟ।
ବୋଇତ ବନ୍ଦାଣ, କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା …. ଆମର ଗୌରବମୟ ସାମୁଦ୍ରିକ ଇତିହାସକୁ ମନେ ପକାଏ।
ନୂଆଖାଇ, ପ୍ରଥମାଷ୍ଟମୀ, ଖୁଦୁରୁକୁଣୀ ଓଷା, କୁମାର ପୂର୍ଣ୍ଣିମା ଓ ପୁଷପୁନି… ଆମର ଆଞ୍ଚଳିକ ବିବିଧତା ଓ ସାମାଜିକ ଜୀବନର ଅବିଚ୍ଛେଦ୍ୟ ଅଂଶ।
ସେହିପରି ଓଡ଼ିଶୀ ନୃତ୍ୟ,
ମୟୂରଭଞ୍ଜ ଛଉ,
ଗୋଟିପୁଅ,
ପାଲା,
ଦାସକାଠିଆ,
ଘୁମୁରା,
ଢୋଲ-ମହୁରୀ,
ପଟ୍ଟଚିତ୍ର,
ପିପିଲି ଚାନ୍ଦୁଆ,
କଟକର ରୂପା ତାରକସି
ଓ
ସମ୍ବଲପୁରୀ ବସ୍ତ୍ର ଆମର ଅମୂଲ୍ୟ ସାଂସ୍କୃତିକ ସମ୍ପଦ।
ସାରଳା ଦାସ, ଉପେନ୍ଦ୍ର ଭଞ୍ଜ ଓ ଫକୀରମୋହନଙ୍କ ସାହିତ୍ୟ ଆମ ବୌଦ୍ଧିକ ଐତିହ୍ୟର ଗୌରବ।
ଏତେ ସମୃଦ୍ଧ ପରମ୍ପରାର ଉତ୍ତରାଧିକାରୀ ହୋଇ ମଧ୍ୟ….
ଆମେ କାହିଁକି ନିଜର ମୌଳିକତାକୁ ପଛରେ ରଖି ଅନ୍ୟର ଆଡ଼ମ୍ବରକୁ ଆଧୁନିକତାର ମାପଦଣ୍ଡ ଭାବି ବସୁଛନ୍ତି ???
ମୁଁ କହିବି…..
ପ୍ରକୃତ ସମସ୍ୟା… ଦାଣ୍ଡିଆ କିମ୍ବା ଗର୍ବା ନୁହେଁ;
ସମସ୍ୟା ହେଉଛି….. ଅସନ୍ତୁଳିତ ଅନୁକରଣ !!!
ଦାଣ୍ଡିଆ ନାଚିବା ଭୁଲ୍ ନୁହେଁ,
ଗର୍ବା ପାଳନ କରିବା ମଧ୍ୟ ଭୁଲ୍ ନୁହେଁ।
କିନ୍ତୁ
ଅନ୍ୟର ନୃତ୍ୟକୁ ଉତ୍ସାହର ସହ ଗ୍ରହଣ କରିବାବେଳେ ନିଜର ଓଡ଼ିଶୀ ଓ ଲୋକକଳା ପ୍ରତି ଉଦାସୀନ ରହିବା,
ଅନ୍ୟର ପର୍ବକୁ ଆଡ଼ମ୍ବରର ସହ ପାଳନ କରିବାବେଳେ ନିଜ ପରମ୍ପରାର ମହତ୍ତ୍ୱକୁ ଭୁଲିଯିବା… ନିଶ୍ଚିତ ଭାବେ ଆତ୍ମସମୀକ୍ଷାର ବିଷୟ !!!
ସଂସ୍କୃତି କେବଳ ପୋଷାକ, ନାଚ, ଗୀତ କିମ୍ବା ଉତ୍ସବର ଚାକଚକ୍ୟ ନୁହେଁ। ଏହା ଗୋଟିଏ ଜାତିର ଇତିହାସ, ମୂଲ୍ୟବୋଧ, ଜୀବନଶୈଳୀ ଓ ସାମୂହିକ ସ୍ମୃତିର ପରିଚୟ।
ସଭିଏଁ ମନେ ରଖିବା ଉଚିତ ଯେ…
ଆଧୁନିକତାର ଅର୍ଥ ନିଜର ମୂଳକୁ କାଟିଦେବା ନୁହେଁ;
ବରଂ
ନିଜର ମୂଳକୁ ସୁଦୃଢ଼ କରି ବିଶ୍ୱ ସହ ଯୋଡ଼ିହେବା।
ଆମ ପିଲାମାନେ ଗର୍ବା ଶିଖନ୍ତୁ,
କିନ୍ତୁ
ଓଡ଼ିଶୀ ମଧ୍ୟ ଜାଣନ୍ତୁ।
ଅନ୍ୟ ରାଜ୍ୟର ପର୍ବ ପାଳନ କରନ୍ତୁ,
କିନ୍ତୁ
ନିଜର ରଜ, ନୂଆଖାଇ ଓ ବୋଇତ ବନ୍ଦାଣର ମହତ୍ତ୍ୱ ମଧ୍ୟ ବୁଝନ୍ତୁ। ବିଶ୍ୱର ସଂସ୍କୃତିକୁ ଜାଣନ୍ତୁ,
କିନ୍ତୁ
ନିଜ ଐତିହ୍ୟକୁ ଭୁଲି ନଯାଆନ୍ତୁ।
ଧୀରେ ଧୀରେ ଏମିତି ବେଳ ଆସିବାକୁ ବସିଲାଣି….
ଆମକୁ ଅନ୍ୟର ସଂସ୍କୃତି ବିରୋଧରେ ଠିଆ ହେବାକୁ ପଡ଼ିବ ନାହିଁ; ନିଜ ସଂସ୍କୃତି ପ୍ରତି ଉଦାସୀନତା ବିରୋଧରେ ….ସଚେତନ ହେବାକୁ ପଡ଼ିବ।
ଅନ୍ୟର ଆଲୋକକୁ ଲିଭାଇବା ଆବଶ୍ୟକ ନୁହେଁ,
ନିଜ ଦୀପକୁ ଜଳାଇ ରଖିବା… ଅଧିକ ଆବଶ୍ୟକ।
ମନେ ରଖନ୍ତୁ….
ଅନ୍ୟର ସଂସ୍କୃତିକୁ ସମ୍ମାନ କରିବା ଆମର ଉଦାରତା;
ନିଜ ସଂସ୍କୃତିକୁ ସମ୍ମାନ କରିବା…. ଆମର ଆତ୍ମସମ୍ମାନ।
ଓଡ଼ିଆ ହେବା କେବଳ ଓଡ଼ିଆ ଭାଷା କହିବା ନୁହେଁ;
ଏହା ଏକ ସମୃଦ୍ଧ ଐତିହ୍ୟକୁ ବୁଝିବା, ବଞ୍ଚାଇ ରଖିବା ଓ ପରବର୍ତ୍ତୀ ପିଢ଼ିକୁ ଗର୍ବର ସହ ହସ୍ତାନ୍ତର କରିବା ଆବଶ୍ୟକ ଅଟେ !
କିନ୍ତୁ
ଆଜିର ଏହି ଅବକ୍ଷୟ ଦେଖି ମନରେ ବାଧ୍ୟ ହୋଇ ପ୍ରଶ୍ନ ଆସୁଛି…
ଆମେ ପ୍ରକୃତରେ ଆଧୁନିକ ହେଉଛୁ,
ନା
ଆଧୁନିକତାର ମୋହରେ ନିଜର ପରିଚୟ ହରାଉଛୁ???
ମୋର ଆପତ୍ତି ଦାଣ୍ଡିଆ କିମ୍ବା ଗର୍ବା ପ୍ରତି ନୁହେଁ;
ମୋର ପ୍ରଶ୍ନ ହେଉଛି…
ଏହି ପରମ୍ପରାଗୁଡ଼ିକର ଲୋକପ୍ରିୟତା ପଛରେ ପ୍ରକୃତ ସାଂସ୍କୃତିକ ଆକର୍ଷଣ କେତେ ଏବଂ ଆଧୁନିକ ମନୋରଞ୍ଜନ, ଆଡ଼ମ୍ବର ଓ ବାଣିଜ୍ୟିକ ଆକର୍ଷଣର ଭୂମିକା କେତେ?
ଯଦି ……
ଏହି ଆୟୋଜନ ଗୁଡ଼ିକରୁ…
ଆଧୁନିକ ନାଚ,
DJର ଉଚ୍ଚଶବ୍ଦ,
ଆକର୍ଷଣୀୟ ପୋଷାକର ପ୍ରଦର୍ଶନ,
ଅଙ୍ଗ ପ୍ରଦର୍ଶନ,
ଉଶୃଙ୍ଖଳତା,
ଆଧୁନିକ ମନୋରଞ୍ଜନ
ଓ
ବାଣିଜ୍ୟିକ ଆକର୍ଷଣକୁ …. ଗୌଣ କରି
ବର୍ତ୍ତମାନ ର ….. ଆଧୁନିକ ଚାକଚକ୍ୟକୁ ହଟାଇ….
କେବଳ
ପାରମ୍ପରିକ ଗର୍ବା ନୃତ୍ୟ,
ତାହାର ମୂଳ ସଙ୍ଗୀତ,
ତାହାର ନୀତିନିୟମ ,
ମୂଳ ସାଂସ୍କୃତିକ ଓ ଏୈତିହାସିକ ଭାବନାକୁ
………………………. ପ୍ରାଧାନ୍ୟ ଦିଆଯାଏ,
ତେବେ………….
ଆଜି ଦେଖାଯାଉଥିବା ଏହି ସମାନ ବାଣିଜ୍ଯ କରଣ, ଜନସମାଗମ ଓ ଉତ୍ସାହ ରହିବ କି?
ଏହାର ଉତ୍ତର ବୋଧହୁଏ …. ନା !!
ଅଜିତ