ମାସ ମାନଙ୍କ ଭିତରେ କାର୍ତ୍ତିକ ମାସ ହେଉଚି ଧର୍ମ ମାସ। ଏହି ମାସ ରେ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କଲେ ସ୍ବର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। କାର୍ତ୍ତିକ ବ୍ରତ ଧାର୍ମିକ ଦୃଷ୍ଟିକୋଣ ରୁ ଯେତିକି ସମୃଦ୍ଧ, ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ସମ୍ପର୍କୀୟ ଭିତ୍ତିଭୂମି ରେ ସେତିକି ପରିପୃଷ୍ଟ। ପ୍ରାତଃ ସ୍ନାନ, ଦେବ ଦର୍ଶନ, ଓ ହବିଷ ଭୋଜନ ହେଉଚି କାର୍ତ୍ତିକ ବ୍ରତ ର ଏକ ଅଭିନ୍ନ ଅଙ୍ଗ।
ଧାର୍ମିକ ମତ ଅନୁସାରେ କାର୍ତ୍ତିକ ବ୍ରତ ପାଳନ କଲେ ଅଶେଷ ପୁଣ୍ୟ ସହ ସ୍ବର୍ଗ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ବ୍ରତ ର ସମସ୍ତ ନିତି ନିୟମ କୁ ନିଷ୍ଠାର ସହ ପାଳନ କରି ଦେବ ଦର୍ଶନ ଓ ଦାନଧର୍ମ କଲେ ଅନେକ ପୁଣ୍ୟ ମିଳିଥାଏ।ଏଜନ୍ମ ର ସମସ୍ତ ପାପ କ୍ଷୟ ହୋଇ ମୋକ୍ଷ ମିଳେ। ଆଗାମୀ ଜନ୍ମ ରେ ସମସ୍ତ ସୁଖ ମିଳିଥାଏ। କାର୍ତ୍ତିକ ବ୍ରତ ର ମାହାତ୍ମ୍ୟ ଅନୁସାରେ- ଶ୍ରୀକୃଷ୍ଣ ଙ୍କ ଆଠ ପତ୍ନୀ ମଧ୍ୟ ରୁ ସତ୍ୟଭାମା ଜଣେ। ମାତ୍ର ପୂର୍ବ ଜନ୍ମରେ ସତ୍ୟଭାମା ଜଣେ ସାଧାରଣ ବ୍ରାହ୍ମଣ କନ୍ୟା ଥିଲେ। ନାମ ଥିଲା ଗୁଣବତୀ, ଜଣେ ସାଧାରଣ ବ୍ରାହ୍ମଣଙ୍କୁ ବିବାହ ବି କରିଥିଲେ। ଦୁର୍ଭାଗ୍ୟବଶତଃ ଗୋଟିଏ ରାକ୍ଷସ ତାଙ୍କ ପିତା ଓ ପତି ଙ୍କ ହତ୍ୟା କରିଥିଲା।ଏହା ପରେ ସେ ରାଜ୍ୟ ର ରାଜା ଗୁଣବତୀ ଙ୍କ ସମସ୍ତ ସମ୍ପତ୍ତି ନେଇଗଲେ। ଆଉ ଯାହା କିଛି ଜମିବାଡ଼ି ଥିଲା,ସବୁ ସମ୍ପର୍କୀୟ ମାନେ ହଡପ କରି ନେଲେ। ଏକାକୀ ବିଧବା ଗୁଣବତୀ ଅନେକ କଷ୍ଟ ରେ ରହିଲେ। ଦିନେ ସେ କାର୍ତ୍ତିକ ବ୍ରତ ବିଷୟରେ ଶୁଣିଲେ ଓ ବ୍ରତ କରିବାକୁ ସଙ୍କଳ୍ପ ନେଲେ। ସବୁଦିନ ପ୍ରାତଃ ରୁ ଉଠି ନଦୀ ରେ ସ୍ନାନ କଲେ।ଦେବ ଦର୍ଶନ କଲେ। ତୁଳସୀ ଚଉରା ମୂଳରେ ମୁରୁଜ ଦେଇ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜାକଲେ। ସନ୍ଧ୍ୟା ରେ ଆକାଶ ଦୀପ ପ୍ରଜ୍ବଳନ କଲେ। ଗୋଟିଏ ଥର ହବିଷ୍ୟାନ୍ନ ଭୋଜନ କଲେ। କାର୍ତ୍ତିକ ମାସ ର ଏକାଦଶୀ କୁ ସମ୍ପୁର୍ଣ୍ଣ ଉପବାସ କରି ଲକ୍ଷ୍ମୀ ନାରାୟଣ ଙ୍କ ପାଦ ରେ ନିଜକୁ ସମର୍ପଣ କରିଦେଲେ। ଏହି ସମୟରେ ତାଙ୍କୁ ଜ୍ବର ହେଲା। ତଥାପି ମଧ୍ୟ ସେ ପ୍ରାତଃ ସ୍ନାନ କରି ସମସ୍ତ ନିତି ନିୟମ ପାଳନ କରି ଚାଲିଲେ। ଆଉ ସେହି କାର୍ତ୍ତିକ ମାସ ରେ ହିଁ ଇହଲିଳା ସମ୍ବରଣ କଲେ।ଆଉ ବୈକୁଣ୍ଠ ପ୍ରାପ୍ତି ହୋଇ ଲକ୍ଷ୍ମୀଙ୍କ ଅଙ୍ଗରେ ବିଲୀନ ହେଇଗଲେ। ପର ଜନ୍ମରେ ଦ୍ଵାପର ଯୁଗରେ ତାଙ୍କ ବ୍ରାହ୍ମଣ ପିତା ରାଜା ସତ୍ରାଜିତ ରୂପରେ ଜନ୍ମ ନେଲେ। ବ୍ରାହ୍ମଣ ପତି ଅକ୍ରୁର ରୂପ ରେ ଜନ୍ମ ନେଲେ।ଆଉ ଗୁଣବତୀ ରାଜା ସତ୍ରାଜିତ ଙ୍କ କନ୍ୟା ସତ୍ୟଭାମା ରୂପେ ଜନ୍ମ ନେଲେ ଓ ଭଗବାନ ଶ୍ରୀକୃଷ୍ଣ ଙ୍କୁ ବିବାହ କଲେ। ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରିଥିବାରୁ ସାଧାରଣ ବ୍ରାହ୍ମଣ କନ୍ୟା ଟିଏ ପର ଜନ୍ମରେ ନାରାୟଣ ଙ୍କୁ ସ୍ବାମୀ ରୂପରେ ପାଇ ପାରିଥିଲେ।
ତେଣୁ ଧାର୍ମିକ ଦୃଷ୍ଟିକୋଣ ରୁ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କଲେ ସମସ୍ତ ପାପ କ୍ଷୟ ହୁଏ, ଆଗାମୀ ଜନ୍ମ ରେ ସମସ୍ତ ସୁଖ ମିଳିବା ସହ ନାରାୟଣ ଓ ଲକ୍ଷ୍ମୀ ଙ୍କ ଭଳି ସ୍ଵାମୀ ଓ ସ୍ତ୍ରୀ ପ୍ରାପ୍ତ ହୁଏ।
ପୁରାଣ ରେ ଉଲ୍ଲେଖ ରହିଛି କାର୍ତ୍ତିକ ମାସରେ ବିଷ୍ଣୁ ଜଳ ରେ ଅବସ୍ଥାନ କରନ୍ତି। ଆଉ ଏହି ମାସରେ ହିଁ ବିଷ୍ଣୁ ମତ୍ସ୍ୟ ଅବତାର ହୋଇ ଥିଲେ। ତେଣୁ କାର୍ତ୍ତିକ ମାସରେ ପବିତ୍ର ନଦୀ ଓ ପୁଷ୍କରିଣୀ ରେ ପ୍ରାତଃ ସ୍ନାନ ଅତ୍ୟନ୍ତ ଶୁଭଫଳଦାୟୀ।
କାର୍ତ୍ତିକ ମାସରେ ଦାନ କୁ ବିଶେଷ ଗୁରୁତ୍ବ ଦିଆ ଯାଇଚି। କନ୍ୟା ଦାନ ଶ୍ରେଷ୍ଠ ଦାନ। ତା ଠାରୁ ଉତ୍ତମ ବିଦ୍ୟାଦାନ, ତାଠାରୁ ଗୋଦାନ ଉତ୍ତମ।ଆଉ ଅନ୍ନଦାନ ସବୁଠାରୁ ଉତ୍ତମ। କାରଣ ଅନ୍ନ ଦ୍ଵାରା ସଂସାର ତିଷ୍ଠି ରହିଚି। ତେଣୁ କାର୍ତ୍ତିକ ମାସରେ ଅନ୍ନଦାନ ଠୁ ମହାପୁଣ୍ୟ ଆଉ କିଛି ନାହିଁ।
ଏ ସଂସାର ରେ ଯଜ୍ଞ, ବ୍ରତ,ଦାନ, ଧର୍ମ, ତୀର୍ଥ ସେବା ରେ ଯେତିକି ପୁଣ୍ୟ ମିଳିଥାଏ, ଯୋଗ, ସମାଧି, କ୍ରିୟା, କୀର୍ତ୍ତି, ଚତୁରାଶ୍ରମ ରେ ଯେତିକି ପୁଣ୍ୟ ଅର୍ଜ୍ଜନ ହୁଏ, କାର୍ତ୍ତିକ ବ୍ରତ ଓ ବିଷ୍ଣୁ ପୂଜା ରେ ତାଠାରୁ ଅଧିକ ପୁଣ୍ୟ ମିଳିଥାଏ।
କେବଳ ଧାର୍ମିକ ଦୃଷ୍ଟିକୋଣ ନୁହେଁ, ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ସମ୍ପର୍କୀୟ ଦୃଷ୍ଟି କୋଣରୁ କାର୍ତ୍ତିକ ବ୍ରତ ଓ ଏହାର ନିତି ନିୟମ ଗୁରୁତ୍ବ ରଖେ।
କାର୍ତ୍ତିକ ମାସ ହେଉଚି ବର୍ଷା ଋତୁ ଓ ଶୀତ ଋତୁ ର ସନ୍ଧିକ୍ଷଣ। ଏହି ମାସରେ ମନୁଷ୍ୟ ଶରୀର ରେ ବାତ,ପିତ୍ତ,କଫ ର ପ୍ରାଦୁର୍ଭାବ ଅଧିକ ଥାଏ। ଜଠରାଗ୍ନି ବି ଦୁର୍ବଳ ଥାଏ। ତେଣୁ ଏସବୁ କୁ ପ୍ରତିହତ କରିଥାଏ ହବିଷ ଭକ୍ଷଣ। ପିତ୍ତ କମ୍ କରିବା ପାଇଁ ଏହିମାସ ରେ ଖାଦ୍ୟରେ ହଳଦୀ ବ୍ୟବହାର କରାଯାଏ ନାହିଁ। ଅଁଳା, ଅଦା ର ବ୍ୟବହାର କଫ କୁ ପ୍ରତିହତ କରିଥାଏ। କାର୍ତ୍ତିକ ବ୍ରତରେ ଗୋଟିଏ ଥର ହବିଷ୍ୟାନ୍ନ ଖିଆ ଯାଏ।ଯାହାକି ଜଠରାଗ୍ନି କୁ ନିୟନ୍ତ୍ରଣ କରିଥାଏ। ଅରୁଆ ଅନ୍ନ ,ସାରୁ,କନ୍ଦମୂଳ, କଦଳୀ ରୁ ଶ୍ଵେତ ସାର, ଗୁଆ ଘିଅ, ନଡ଼ିଆ ରୁ ପ୍ରୋଟିନ, ସାରୁଶାଗ, ଅଗସ୍ତି ଶାଗରୁ ଖାଦ୍ୟ ପ୍ରାଣ “ଗ” ମିଳିଥାଏ।ଏହା ଶରୀର କୁ ରୋଗ ପ୍ରତିଷେଧକ ଶକ୍ତି ଯୋଗେଇ ଥାଏ।
କାର୍ତ୍ତିକ ମାସରେ ଆମିଷ କୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇଛି।କାରଣ ଏହି ସମୟ ରେ ମାଛ ମାନଙ୍କ ଦେହରେ ଏକପ୍ରକାର ଘାଆ ହେଇଥାଏ।ଯାହାକି ମଣିଷ ପାଇଁ ଅତ୍ୟନ୍ତ କ୍ଷତି କାରକ। ସେହିପରି କୁକୁଡ଼ା,ବତକ, ଛେଳି ମେଣ୍ଢା ଙ୍କର ପ୍ରଜନନ ର ସମୟ ହେଉଚି କାର୍ତ୍ତିକ ମାସ।ଏହି ସମୟ ରେ ସେମାନଙ୍କ ରକ୍ତ ରେ ଏକ ପ୍ରକାର ରାସାୟନିକ ପରିବର୍ତ୍ତନ ହେଇଥାଏ।ତେଣୁ ସେମାନଙ୍କ ମାଂସ ଖାଇଲେ ମଣିଷ ଶରୀରରେ ମଧ୍ୟ କୁପ୍ରଭାବ ପଡିଥାଏ।ତେଣୁ କାର୍ତ୍ତିକ ମାସରେ ମାଛ, ମାଂସ ଖାଇବା ଉଚିତ୍ ନୁହେଁ।
ହବିଷ ଅନ୍ନ ଖାଇବା ଦ୍ବାରା ମନ, ମସ୍ତିଷ୍କ,ଶରୀର ଶାନ୍ତ ଓ ସଂଯମ ରହେ। (କିଛି ସମାଜତତ୍ତ୍ବବିତ୍ ଭିନ୍ନ ମତ ପୋଷଣ କରନ୍ତି। ଓଡିଶା ରେ ବିଶେଷତଃ ମାର୍ଗଶୀର ମାସ ରୁ ଧାନ ଅମଳ ହୋଇଥାଏ। ତେଣୁ ପ୍ରାୟତଃ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଶ୍ରେଣୀ ପରିବାର ରେ କାର୍ତ୍ତିକ ମାସ ରେ ଧାନ ଚାଉଳ ର ଅଭାବ ଦେଖାଯାଇଥାଏ।ତେଣୁ ପରିବାର ର କିଛି ମହିଳା କାର୍ତ୍ତିକ ମାସ ରେ ଗୋଟିଏ ଥର ଖାଦ୍ୟ ଖାଇ ଗୃହସ୍ବାମୀ ଙ୍କୁ ପରିବାର ଚଳେଇବାରେ ସାହାଯ୍ୟ କରନ୍ତି।ଯାହାକି ପରବର୍ତ୍ତୀ ସମୟ ରେ କାର୍ତ୍ତିକ ହବିଷ ଭାବରେ ଏକ ପ୍ରଥା ହେଇଗଲା।)
କାର୍ତ୍ତିକ ମାସରେ ଆକାଶ ଦୀପ ପ୍ରଜ୍ଜ୍ୱଳନ ର ବିଧି ରହିଚି।ଏହି ସମୟରେ କୀଟ ପତଙ୍ଗ ବେଶୀ ହେଇଥାନ୍ତି। ଉଚ୍ଚ ସ୍ଥାନରେ ଅଧିକ ସଂଖ୍ୟକ ଆକାଶ ଦୀପ ଦ୍ଵାରା ଆକର୍ଷିତ ହେଇ କୀଟ ପତଙ୍ଗ ସବୁ ଦୀପ ଶିଖା ପୋଡି ମରି ଯାଇଥାନ୍ତି। ଆଗକାଳରେ ନୌବାଣିଜ୍ୟ ର ପ୍ରଚଳନ ଥିଲା। ଏହି ଆକାଶ ଦୀପ ଦିଗବାରେଣି ର କାମ ବି କରୁଥିଲା।
ଆମ ପୁର୍ବଜ ମୁର୍ଖ ନଥିଲେ।ମନ, ମସ୍ତିଷ୍କ,ଶରୀରର ମଙ୍ଗଳ ପାଇଁ ସେମାନେ ଯଥାର୍ଥ ପଥ ପ୍ରଦର୍ଶନ କରି ଯାଇଛନ୍ତି।ଅନେକେ ହିନ୍ଦୁ ଧର୍ମ କୁ ଅନ୍ଧବିଶ୍ୱାସ ଓ କୁସଂସ୍କାରପୂର୍ଣ୍ଣ ବୋଲି ମତ ଦିଅନ୍ତି। କିନ୍ତୁ ବେଦ, ଉପନିଷଦ, ଗୀତାର ଅର୍ଥ କୁ ଭୁଲ୍ ବାଟରେ ନିଆଯାଇ ଏଭଳି ସ୍ଥିତି ସୃଷ୍ଟି କରାଯାଇଚି। ଯେମିତି ବଳୀପ୍ରଥା। ବେଦ ଉପନିଷଦରେ ଭୟକୁ କୁକୁଡା, କାମ ଭାବକୁ ଛେଳି, ରାଗ ହିଂସାକୁ ମଣିଷ ଭାବରେ ବର୍ଣ୍ଣନା କରି ଏହାକୁ ବଳି ଦବାକୁ ଉଲ୍ଲେଖ ଅଛି। କିନ୍ତୁ ଏହାକୁ କଦର୍ଥ କରି ବଳିପ୍ରଥାର ସୃଷ୍ଟି ହୋଇଛି।
ଆମ ହିନ୍ଦୁ ଧର୍ମ ସର୍ବ ପୁରାତନ ଧର୍ମ। ମୁନିଋଷି ମାନେ ବର୍ଷ ବର୍ଷ ତପସ୍ୟା (ଗବେଷଣା) କରି ଯାହା ଲେଖି ଯାଇଛନ୍ତି,ସେ ସବୁ ମାନବ ସମାଜର କଲ୍ୟାଣ ପାଇଁ।
କାର୍ତ୍ତିକ ମାସରେ ଲକ୍ଷ୍ମୀ ନାରାୟଣ ସମସ୍ତ ଙ୍କର ମଙ୍ଗଳ କରନ୍ତୁ