ପାସବୁକର ବ୍ୟାଙ୍କବାଲାନ୍ସ

ପାସବୁକର ବ୍ୟାଙ୍କବାଲାନ୍ସ

ପାସବୁକର ବ୍ୟାଙ୍କବାଲାନ୍ସ ଷ୍ଟେଟମେଣ୍ଟ ଉପରେ ଆଖି ଘୁରାଇଆଣି,ଔଷଧ ସହ ପାଣି ଗ୍ଲାସଟା ସୁବୋଧ ଙ୍କ ହାତକୁ ବଢ଼ାଇଦେଇ ଅରୁଣା କହିଲା,
-ତମ ବ୍ୟାଙ୍କ ପାସବୁକରେ କେତେ ଟଙ୍କା ଅଛି ଦେଖିଛ ?”
ସ୍ତ୍ରୀଙ୍କ ଆଡ଼କୁ ଅନାଇ ସୁବୋଧ ଗମ୍ଭୀର ସ୍ୱରରେ ପଚାରିଲା,
-ସରକାର ବିଦେଶରୁ ଟଙ୍କା ଆଣି ମୋ ଆକାଉଣ୍ଟରେ ଜମା କରିଦେଲେ ବୋଧେ ?ଅଧିକ ଟଙ୍କା ଅଛି ବୋଲି ବ୍ୟାଙ୍କ ବା ଆୟକର ବିଭାଗ ତରଫରୁ ନୋଟିସ ଆସିଛି କି?”
କହିଦେଇ ହୋ ହୋ ହୋଇ ହସ।
ସୁବୋଧର ଏଇ ଖାମଖିଆଲି ନୀତି ପାଇଁ ବିରକ୍ତ ହୁଏ ଅରୁଣା।କୌଣସି କଥାକୁ ଗୁରୁତ୍ୱ ନଦେଇ ଏମିତି ହସ, ମଜାକରେ ଉଡାଇଦିଏ।ଅନେକ ସମୟରେ ସ୍ତ୍ରୀକୁ କୁହେ,
-ଆରେ,ଜୀବନରେ ସବୁବେଳେ ବିନ୍ଦାସ ହୋଇ ରହିବା ଉଚିତ।ଜିନ୍ଦେଗୀ ଜିନ୍ଦାଦିଲି କା ନାମ ହେ,ମୂର୍ଦାଦିଲ କ୍ୟା ଖାସ ଜିତେ ହୈ ?”
ଅରୁଣା ଭାବେ ଲୋକଟା କେଉଁ ଧାତୁରେ ଗଢ଼ା କେଜାଣି ?କୁମ୍ଭୀର ନେଇ ମଝିନଇରେ କଲାଣି, ଅଥଚ ବାବୁଙ୍କ ହୋଲଡୋଲ ନାହିଁ।
ଚେଆର ଉପରେ ବସିପଡି ଅରୁଣା ପୁଣିଥରେ ଆଖି ବୁଲାଇଆଣିଲା ସେଇ ପାସବୁକରେ।କେବଳ ଡେବିଟ,ଅର୍ଥାତ ପାସବୁକରୁ ଟଙ୍କା କଢ଼ା ହେଉଥିବାର
ସୂଚନା ରହିଛି।ମାସରେ ଥରେ ପେନସନ ଗଣ୍ଡାକ ଯାହା ଜମା ହେଉଛି।ସେଇ ଅଳ୍ପ ଓ ସୀମିତ ଟଙ୍କାରେ ଅବସରକାଳୀନ ଜୀବନର ସବୁ ଖର୍ଚ୍ଚ ତୁଲାଇବା ଯେ କେତେ କଷ୍ଟ ତାହା ଅନୁଭବୀ ଜାଣେ।ତା ଉପରେ ପୁଣି ଏବେ ସୁବୋଧର ଏମିତି ସ୍ୱାସ୍ଥବସ୍ଥା।
ଏତେ ବର୍ଷ ଚାକିରୀ କାଳ ଭିତରେ ସୁବୋଧ ନିଜ ପାଇଁ ଘରଟିଏ ବନାଇ ପାରିନି ବୋଲି,ଅବସର ପରେ ଏଇ ଭଡାଘରେ ରହୁଛି।ଏବେ ସୁବୋଧ କହୁଛି ଗାଁକୁ ଚାଲିଯିବା ପାଇଁ,ଯାହା ଅରୁଣାକୁ ଜମାରୁ ପସନ୍ଦ ନୁହେଁ।ଏଇ ବୟସରେ ଗାଁ ରେ ଯାଇଁ କଣ ଚଳିହେବ ?ସହରର ସୁବିଧା କଣ ଗାଁରେ ମିଳିବ ?ତେବେ ବ୍ୟାଙ୍କରେ ସଞ୍ଚୟ କିମ୍ବା ହାତରେ ଟଙ୍କା ପଇସା ନଥିବା ଅସହାୟ ମଣିଷ ପାଖରେ ବିକଳ୍ପ ବା କଣ ?
ପାସବୁକଟା ଟିପୟ ଉପରେ ଫୋପାଡ଼ି ଦେଇ ଅରୁଣା ପୁଣି କହିଲା,
-ସାରା ଜୀବନ ଗୋପବନ୍ଧୁ ହୋଇ ଦେଶସେବା କଲ।
ସାଙ୍ଗସାଥୀ, ଅଫିସ ସହକର୍ମୀଙ୍କ ଯିଏ ଯେତେବେଳେ ମାଗିଲା,ଆଗପଛ ନଭାବି ନିଜ ଜମାପୁଞ୍ଜି ବଢ଼ାଇଦେଇ ନିଜ ପାସବୁକ ଖାଲି କରିଦେଲ।
ଟେହି ଦେଇ ଯେଉଁ ସାଙ୍ଗସବୁ ତୁମକୁ ଦିଲଦାର ବୋଲି କହୁଥିଲେ,ଏଇନା କିଏ ତମ ପିଠିରେ ପଡୁଛି ?ଅପରେସନ,ଟ୍ରାନ୍ସପ୍ଲାଣ୍ଟ କେମିତି ହେବ,ଚିନ୍ତା କରିଛ?”
ସବୁଥର ଭଳି ଆଜି ବି ନିର୍ବିକାର ଭାବେ ସୁବୋଧ କହିଲା,
-ଯେତିକି ଦିନ ଆୟୁଷ ଥିବ,ସେତିକି ଦିନ ବଞ୍ଚିବ ମଣିଷ।ଆରେ ସବୁ ଭଗବାନଙ୍କ ଇଛା।ସବୁ ଯୋଗାଡ଼ ସେ କରନ୍ତି।ତେବେ ଯେତିକି ଦିନ ବଞ୍ଚିବା ଖୁସି ହୋଇ ସମୟ କାଟିବା।”
ଦୀର୍ଘନିଶ୍ବାସ ଛାଡି ରୋଷେଇ ଘରକୁ ଉଠିଗଲା ଅରୁଣା।ଏମିତିରେ ସ୍ୱଭାବରେ ସୁବୋଧ ବହୁତ ମେଳାପୀ ଓ ପରୋପକାରୀ।ଅନ୍ୟର ଦୁଃଖ କଷ୍ଟ ଦେଖିଲେ ସହି ନପାରି ଆଗୁଆ ନିଜ ଆଡୁ ସାହାଯ୍ୟ କରି ପକାଏ।ଅଫିସ ପିଅନ ଜୋସେଫ ର ଝିଅ ବାହାଘର ବେଳେ ନିଜ ଜିପିଏଫ ରୁ ପାଞ୍ଚ ଲକ୍ଷ ଉଠାଇ ସୁବୋଧ ଦେଇଥିଲା।ଝିଅ ବାହାଘର ପରେ ପରେ ଆକ୍ସିଡେଣ୍ଟରେ ଜୋସେଫ ଓ ତା ସ୍ତ୍ରୀ ଚାଲିଗଲେ।ଟଙ୍କା ଆଉ ଫେରିନଥିଲା।
ସହକର୍ମୀ ଗୋପାଳର ହାର୍ଟସର୍ଜରୀ ବେଳେ ସୁବୋଧ ଦେଇଥିବା ଟଙ୍କା ଆଜିଯାଏଁ ଫେରିନି।ଆହୁରି
ଅନେକ ଲୋକ ସୁବୋଧର ଏଇ ଗୁଣର ଫାଇଦା ଉଠାଇଛନ୍ତି।କାହା ପିଲାର ପାଠ ପଢା,କାହାର ବାପା ସିରିଏସ,କାହା ସ୍ତ୍ରୀକୁ କ୍ୟାନ୍ସର…ଇତ୍ୟାଦି ଇତ୍ୟାଦି।ଲୋକେ ଧାର ନେଇ ଫେରାନ୍ତିନି,ସୁବୋଧ ମାଗେନା।ଅରୁଣା ଚିଡିଲେ,ସୁବୋଧ କୁହେ,
-ଆରେ,ମୁହଁ ଖୋଲି ମାଗିବାକୁ ଖରାପ ଲାଗୁଛି।ହୁଏତ ତାର ଅସୁବିଧା ଥିବ।”
-ଆଛା,ଆମର ଆଉ ଅସୁବିଧା ନାହିଁ ?ଏସବୁ ଲୋକମାନେ ସୁବିଧାବାଦୀ।ତମେ କଣ ସତରେ ଏମାନଙ୍କୁ ଚିହ୍ନିପାରୁନ ?”
ଅରୁଣାକୁ ସେ ବୁଝାଏ,
-ଯେତେବେଳେ ଆମ ସାମ୍ବାରେ ଥିବା ସମସ୍ତ ରାସ୍ତା ବନ୍ଦ ହୋଇଗଲା ଭଳି ଆମକୁ ଲାଗେ ,ସେତେବେଳେ ଆଖିବୁଜି ନିଜ ବିବେକର ଆହ୍ୱାନ ଶୁଣିବା ଉଚିତ।।”
-ସେମାନଙ୍କ ବିବେକ ନାହିଁ ???”
ଚିଡିଯାଏ ଅରୁଣା।
ଏକମାତ୍ର ପୁଅ ସୌରଭ,ଭଲ ନମ୍ବର ରଖି ନଥିଲା ବୋଲି, ସ୍ତ୍ରୀଙ୍କ ଜିଦିରେ ସୁବୋଧ ତାକୁ ଡୋନେସନ ଦେଇ ପ୍ରାଇଭେଟ ଇଞ୍ଜିନିୟରିଂ କଲେଜରେ ପଢ଼ାଇଥିଲେ।ହେଲେ ଆହୁରି ଅଧିକ ଟଙ୍କା ଡୋନେସନ ଦେଇ ତାକୁ ଏମ୍ ବି ଏ ପଢ଼ାଇ ନଥିଲେ ବୋଲି ଅଭିମାନ କରେ ସୌରଭ।ଶେଷରେ କେଉଁଠି ଗୋଟେ ଦଲାଲକୁ କୋଡିଏ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ସରକାରୀ ଚାକିରୀ ମିଳିଯିବ ବୋଲି ଜିଦି କଲା।ବହୁତ ମନା କରିଥିଲେ ସୁବୋଧ।
-ସାଙ୍ଗମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡେଇବ,ନିଜ ପୁଅର ଭବିଷ୍ୟତ ପାଇଁ ନାହିଁ ?ଟଙ୍କା ସଞ୍ଚି କି ସ୍ୱର୍ଗକୁ ନେବ ?ପିଲାମାନେ ହିଁ ଆମ ଜମାପୁଞ୍ଜି,ସେମାନେ ହିଁ ଆମ ଭବିଷ୍ୟତ ପାସବୁକ।”ଚିଲ୍ଲେଇ ଥିଲେ ସେଦିନ ଅରୁଣା। ପାରିବାରିକ ଅଶାନ୍ତି ଓ ସମ୍ପର୍କର ତିକ୍ତତା ଦୁରକରିବା ପାଇଁ ଅବସରକାଳୀନ ସମସ୍ତ ଭତ୍ତା, ଗ୍ରାଚୁଇଟି,ଛୁଟିବିକା ଟଙ୍କା ଇତ୍ୟାଦି ଯାହା ମିଳିଥିଲା ସବୁ ଧରାଇଦେଇଥିଲେ ଅରୁଣାଙ୍କ ହାତରେ।ନିଜ ଗହଣା ତକ ବିକି ,ସୁବୋଧଙ୍କ ଟଙ୍କାରେ ମିଶାଇ ଅରୁଣା ପୁଅକୁ ଟଙ୍କା ଦେଇଥିଲେ।ଆଶା,ଚାକିରୀ ହୋଇଗଲେ ସବୁ ସୁବିଧା ହୋଇଯିବ।ସବୁ ଟଙ୍କା ନେଇ ସେ ଦଲାଲ ଫେରାର ହୋଇଗଲା।ଏବେ ପୁଅ ସୌରଭ,ପଡୋଶୀ ରାଜ୍ୟରେ ଗୋଟେ ପ୍ରାଇଭେଟ କମ୍ପାନୀରେ ଛୋଟ ଚାକିରୀଟିଏ କରୁଛି।
କିଛିଦିନ ତଳେ ଘରକୁ ଆସିଥିଲା।ଅରୁଣା ତାକୁ ସୁବୋଧଙ୍କ କିଡନି ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର ଓ ପ୍ରାଇଭେଟ ହସ୍ପିଟାଲ ଖର୍ଚ୍ଚ କଥା କହିବାରୁ ,ରାଗିଯାଇ ସୌରଭ କହିଥିଲା,
-ଟଙ୍କା ମୁଁ କେଉଁଠୁ ଆଣିବି ?ବାପା ତାଙ୍କ ସାଙ୍ଗଙ୍କ ପିଛା ଏତେ ଟଙ୍କା ଉଡାଉ ଥିଲେ,ଏବେ ନିଜର ଅସୁବିଧା ବେଳେ ସାହାଯ୍ୟ କରିବାକୁ ସେ ସାଙ୍ଗମାନେ କାହାନ୍ତି !”
-ଆରେ ମୋ ସାଙ୍ଗମାନେ କଣ ଆମ ଘର ପାଖରେ ଅଛନ୍ତି ଯେ ସେମାନେ ଜାଣିବେ ?ଜାଣିଲେ ଏଇନା ସମସ୍ତେ ଦୌଡ଼ି ଆସିବେ।ତେବେ ନିଜ କଥା କଣ ମୁହଁ ଖୋଲି କାହାକୁ କୁହାଯାଏ ନା କେବେ ସାହାଯ୍ୟ କରିଥିଲି ବୋଲି ତାର ପ୍ରତିଦାନ ମାଗିବି ?କିଛି ବ୍ୟସ୍ତ ହଅନା।ସରକାରୀ ହସ୍ପିଟାଲ ଅଛି।ମାଗଣାରେ ଯେଉଁ ଔଷଧ ବା ଅପରେସନ ହେବ ସେଥିରେ ଚଳାଇଦେବି।”
ଚୁପଚାପ ଆଖିବୁଜି ଚେଆରରେ ବସି ଧ୍ୟାନମଗ୍ନ ଋଷି ଙ୍କ ଭଳି ବସିଯାଏ ସୁବୋଧ।ତାର ମନେପଡେ ପିଲାବେଳେ ବାପା କହିଥିବା କଥା ପଦକ,
-“ବାବାରେ ,ଜୀବନରେ ସବୁବେଳେ କେବଳ ଭଲ ମଣିଷଟିଏ ହେବାକୁ ଚେଷ୍ଟା କରିବୁ ଓ ଗରିବ,ନିଆଶ୍ରା ଲୋକଙ୍କୁ ନିଜ କ୍ଷମତା ମୁତାବକ ସାହାଯ୍ୟ କରିବୁ।ବାସ ଆଉ କିଛି ଦରକାର ନାହିଁ ଜୀବନରେ।”
ଭଲ ମଣିଷଟିଏ ହେବାକୁ ସବୁବେଳେ ଚେଷ୍ଟା କରିଆସିଛି ସୁବୋଧ।
ଶାଢ଼ୀ କାନି ମୁହଁରେ ଗୁଞ୍ଜି ଅନ୍ୟରୁମକୁ ଚାଲିଯାଇ କାନ୍ଦନ୍ତି ଅରୁଣା।ତାଙ୍କ ଭାଇ ଅବସ୍ଥା ବି ଏତେ ସ୍ଵଛଳ ନୁହେଁ।ସୌରଭ କୁ ଟଙ୍କା ଦେଇ ଥିବାରୁ ଏବେ ଅନୁତାପ କରନ୍ତି ଅରୁଣା।ଭଗବାନଙ୍କୁ ପ୍ରାର୍ଥନା କଲାବେଳେ ପ୍ରଶ୍ନ କରନ୍ତି,
-ସୁବୋଧଙ୍କୁ ଏତେ ପରୀକ୍ଷା କାହିଁକି କରୁଛ ପ୍ରଭୁ ?ମୋ ଆୟୁଷ ହେଲେ ତାଙ୍କୁ ଦେଇଦିଅ।ମୋର ବା ସୌରଭର କିଡନୀ ତ ମ୍ୟାଚ ହେଲାନି, କେଉଁଠୁ ତାଙ୍କ ପାଇଁ……କଥାକୁ ପୂରଣ କରିପାରେନା ଅରୁଣା।ଭେଁ ଭେଁ ହୋଇ କାନ୍ଦେ।
ସେଦିନ ଯୋଗକୁ ମନ୍ଦିରରେ ଦେଖାହୋଇଗଲା ବିକ୍ରମ ବାବୁଙ୍କ ସହ,ସୁବୋଧଙ୍କ ସହକର୍ମୀ।ଚାକିରୀ ସମୟରେ ସୁବୋଧ ତାଙ୍କୁ ଅନେକ ସାହାଯ୍ୟ କରିଛନ୍ତି।ସବୁକଥା ଶୁଣି କାନ୍ଦ କାନ୍ଦ ହୋଇଗଲେ ବିକ୍ରମ।ହ୍ଵାଟ୍ସଆପ ରେ ନିଜ ପୁରୁଣା ବନ୍ଧୁମାନଙ୍କୁ ସବୁ ମେସେଜ କରିଦେଇ ,ଅରୁଣାଙ୍କୁ କହିଲେ,
-ଭାଉଜ ମୁଁ କାଲି ସକାଳେ ଆପଣଙ୍କ ଘରକୁ ଆସି ସୁବୋଧ ଭାଇଙ୍କୁ ନେଇଯିବି।ଜଣେ ଡାକ୍ତର ମୋର ଚିହ୍ନା ଅଛି।”
-କିନ୍ତୁ ଟଙ୍କା !”ଅରୁଣା ପଚାରିଲା।
-ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।”
ସତକୁସତ ପରଦିନ ପାଖ ସହରର ଗୋଟେ ବଡ଼ ପ୍ରାଇଭେଟ ହସ୍ପିଟାଲକୁ ସୁବୋଧକୁ ନେଇଗଲା।
ସେଠାର ବଡ଼ ନେଫରୋଲୋଜିଷ୍ଟ ଡାକ୍ତର ଆସି ସୁବୋଧର ସବୁ ରିପୋର୍ଟ ଦେଖିଲେ ଓ ପୁଣି କିଛି ଟେଷ୍ଟ କରିସାରି କହିଲେ,
-ମଉସା,ଆପଣଙ୍କ ଅପରେସନ ଏଇଠି ମାଗଣାରେ ହେବ।”
ଟିକେ ଆଶ୍ଚର୍ଯ୍ୟ ହୋଇ ଅନାଇଲେ ସୁବୋଧ।
ବିକ୍ରମ ହସିଦେଇ କହିଲେ,
-ଚିହ୍ନି ପାରୁନୁ ବୋଧେ।ଇୟେ ମୋ ପୁଅ।ଆରେ,ୟାରି ପଢ଼ା ପାଇଁ ,ପରୀକ୍ଷା ଫିସ ପାଇଁ ତୁ କେତେ ସାହାଯ୍ୟ କରିଛୁ।”
ଏଇ ସମୟରେ ରୁମ ଭିତରକୁ ପଶିଆସିଲେ ପ୍ରାୟ ଦଶ ବାର ଜଣ ଲୋକେ।ସମସ୍ତେ ସୁବୋଧଙ୍କ ପୁରୁଣା ସହକର୍ମୀ।ତାଙ୍କୁ ଘେରିଯାଇ କହିଲେ,
-ଆମେ ସମସ୍ତେ ତୋ ସହ ଅଛୁ ସୁବୋଧ।ତୁ ଜମା ଡ଼ରନା।ଡୋନର ଆମ ଭିତରୁ କିଏ ଜଣେ ହେବ।ତୁ ଆମ ସମସ୍ତଙ୍କୁ ଏତେ ସାହାଯ୍ୟ କରିଛୁ ଯେ,ଆମ ମଲା ଯାଏଁ ତୋର ରୁଣୀ ହୋଇ ରହିବୁ।ତୁ ଟିକେ ବି ଆମକୁ କିଛି ଜଣାଇନୁ ?ବିକ୍ରମ ମେସେଜ ଦେଲାପରେ ଆମେ ଜାଣିଲୁ।”
ଦୁଇମାସ ପରେ ସଫଳତାର ସହ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ସୁସ୍ଥ ହୋଇ,ସୁବୋଧ ଘରକୁ ଫେରିବା ପରେ,
ସେଦିନ ଅରୁଣା ,ବ୍ୟାଙ୍କ ପାସବୁକଟା ଆଣି ସୁବୋଧଙ୍କୁ ଦେଖାଇ କହିଲେ,
-ତୁମ ସାଙ୍ଗମାନେ ଦେବଦୂତ ଭଳି ଆସି,କିଡନୀ ଦେବା ସହ ଟ୍ରାନ୍ସପ୍ଲାଣ୍ଟ ର ସବୁ ଖର୍ଚ୍ଚ କେବଳ ବହନ କରିନାହାନ୍ତି,ବରଂ ସେମାନେ ସମସ୍ତେ ତଥା ସେମାନଙ୍କ ପିଲାମାନେ ମଧ୍ୟ କ୍ରାଉଡ଼ ଫଣ୍ଡିଙ୍ଗ ଜରିଆରେ ପଚିଶ ଲକ୍ଷ ଟଙ୍କା ତମ ପାସବୁକରେ ଜମା କରିଛନ୍ତି।ଆମ ପାସବୁକରେ ଏବେ ବ୍ୟାଙ୍କବାଲାନ୍ସ….
ଅରୁଣାଙ୍କ କଥାକୁ ଅଧାରେ ରଖି ସୁବୋଧ ତାଙ୍କ ଦୁଇ ହାତ ପାପୁଲିକୁ ଧରି ଧୀର ସ୍ୱରରେ କହିଲା,

  • ଏଠିକା ବ୍ୟାଙ୍କ କେବେ ଦିବାଲିଆ ହୋଇ,ବନ୍ଦ ହୋଇଯାଏ ତ କେବେ ସରକାର ନୋଟବନ୍ଦୀ ଅଥବା ବ୍ୟାଙ୍କରୁ ଟଙ୍କା ଉଠାଇବାରେ କଟକଣା କରନ୍ତି।ସାଇବର ଠକଙ୍କ କବଳରୁ ଆମ ବ୍ୟାଙ୍କଜମା ବି ସୁରକ୍ଷିତ ନୁହେଁ।ହେଲେ ଜାଣିଛ,ବିପଦ ଆପଦରେ ପଡିଥିବା ତଥା ଦରକାର ବେଳେ କାହାକୁ ସାହାଯ୍ୟ କରିଥିଲେ ଆମ ବ୍ୟାଙ୍କ ବାଲାନ୍ସ ଏଠିକା ବ୍ୟାଙ୍କରେ ନୁହେଁ,ବରଂ ଭଗବାନଙ୍କ ବ୍ୟାଙ୍କର ପାସବୁକରେ ବଢି ଚାଲେ।ଆଉ ଭଗବାନ ତାଙ୍କ ପାସବୁକରୁ ସାହାଯ୍ୟ କରିବାରେ କେବେ କାର୍ପଣ୍ୟ କରନ୍ତି ନାହିଁ।ଆମ ଭଲ କାମ,ଆମ ପୁଣ୍ୟହିଁ ଆମ ପାସବୁକ,ଆମ ବ୍ୟାଙ୍କ ବାଲାନ୍ସ।”