ଜୟହୋ ହକି

ଜୟହୋ ହକି

ଶ୍ରୀମତୀଙ୍କ ହାତରେ ନୂଆ ହକି ଷ୍ଟିକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅଜୟ ବାବୁ।

  • ଏଇଟା କେଉଁଠୁ ପାଇଲ ?”
  • ପ୍ରାଇଜରେ ମିଳିଲା। ହକି ବିଶ୍ୱକପ ଆୟୋଜନ ଅବସରରେ ହକିର ପ୍ରଚାର, ପ୍ରସାର ପାଇଁ ଗୋଟେ ଟିଭି ଚ୍ୟାନେଲ ବାଲା ବିଭିନ୍ନ ଛକ ରେ ସେମାନଙ୍କ ପ୍ରଚାର ଗାଡ଼ି ରଖି କୁଇଜ କମ୍ପିଟିସନ କରୁଛନ୍ତି। ଆମ ଛକ ପାଖରେ କରିଥିବା କମ୍ପିଟିସନରେ ମୁଁ ଫାଷ୍ଟ ପ୍ରାଇଜ ପାଇଲି। ଖୁସି ହୋଇ ଅଜୟ ବାବୁ ପଚାରିଲେ
    -“ଆରେ ବାଃ, କେତେଜଣ ମିଶିଥିଲେ ଆଉ ପ୍ରଶ୍ନ କଣ ଥିଲା ?”
  • ଆମେ ଚାରିଜଣ ଥିଲୁ। ସାହୁ ବାବୁଙ୍କ ସ୍ତ୍ରୀ, ମହାନ୍ତି ବାବୁଙ୍କ ସ୍ତ୍ରୀ ଓ ନାୟକ ବାବୁଙ୍କ ସ୍ତ୍ରୀ ଓ ମୁଁ। ପ୍ରଶ୍ନ ଥିଲା “ଭାରତ’ର ଜାତୀୟ ଖେଳ କଣ ?”
  • ଆଛା,ତୁମେ ସବା ଆଗେ ଉତ୍ତର ଦେଇଦେଲ?”
  • ନା, ପ୍ରଥମେ ସାହୁ ବାବୁଙ୍କ ସ୍ତ୍ରୀ କହିଲେ, “କ୍ରିକେଟ”,ମହାନ୍ତି ବାବୁଙ୍କ ସ୍ତ୍ରୀ କହିଲେ “କବାଡ଼ି”,ଆଉ ନାୟକ ବାବୁଙ୍କ ସ୍ତ୍ରୀ କହିଲେ,”ଫୁଟବଲ”।”
    ଆନନ୍ଦରେ ଗଦଗଦ ହୋଇ ଅଜୟ ବାବୁ କହିଲେ,
    -“ତମେ ଠିକ୍ ଉତ୍ତର କେମିତି ଦେଲ ?”
  • ସେମାନେ ପରା ମାତ୍ର ଚାରିଟା ଅପସନ ଦେଇଥିଲେ। ମୋ ବେଳକୁ ଖାଲି ହକି ହିଁ ଥିଲା। ବାଧ୍ୟ ହୋଇ ହକି ବୋଲି କହିଲି ଓ ସେମାନେ ଠିକ ଉତ୍ତର ବୋଲି କହି ତାଳି ମାରିଲେ। ମୁଁ ତ ଭାବିଲି ମିଛରେ ଏମିତି କହୁଛନ୍ତି।ପୁରସ୍କାର ପାଇଲା ପରେ ଜାଣିଲି ହକି ଠିକ ଉତ୍ତର ବୋଲି। ଆଛା, ହକି କେବେଠୁ ଆମ ଜାତୀୟ ଖେଳ ହେଲା ? କ୍ରିକେଟ ବୋଲି ମୁଁ ବି ଭାବୁଥିଲି।”

ଚମକି ପଡି ଅଜୟ ବାବୁ କହିଲେ,
-ଛିଃ, ଛିଃ, ତମର ସାଧାରଣ ଜ୍ଞାନ ତଥା ଖେଳ ଉପରେ କିଛି ବି ଧାରଣା ନାହିଁ। ଜି କେ ବହି କିମ୍ବା ପତ୍ର ପତ୍ରିକା ତ କେବେ ପଢ଼ିବନି।ଟିଭିରେ ନିଉଜ ନଦେଖି ସିରିଏଲ ଦେଖିବ। ହ୍ଵାଟ୍ସଆପ, ଫେସବୁକରେ ମାତୁଛ।”

ବିରକ୍ତ ହୋଇ ସତ୍ୟଭାମା କହିଲେ,
-ଆଚ୍ଛା”! ତମେ ତ ନିଉଜ ଦେଖିକି ଯେମିତି ସବୁ କମ୍ପିଟେସନ ଜିତୁଛ ?ଆଜି ଯାଏଁ କେତେଟା ପ୍ରାଇଜ ପାଇଛ କହିଲ ?କେ.ବି.ସି ରେ ପରା ଆଜିଯାଏଁ ସିଲେକ୍ଟ ହୋଇ ପାରୁନ। ଆମ ମହିଳାଙ୍କ ଖୁଣ ବାହାର କରିବାକୁ ଖାଲି କହିଥିବ। ସବୁବେଳେ କ୍ରିକେଟ ମ୍ୟାଚ ଟିଭିରେ ଦେଖୁଛ, ହେଲେ ନିଜେ ତ କ୍ରିକେଟ ଖେଳୁନ।”
ନିରବି ଗଲେ ଅଜୟ ବାବୁ।ମନେମନେ ଭାବିଲେ, ଏସବୁ ଜିନିଷ ପାଇଁ ସ୍ତ୍ରୀଙ୍କୁ ଦୋଷ ବା କାହିଁକି ଦେବେ ?କ୍ରିକେଟ’ର ପ୍ରଚାର, ପ୍ରସାର ଯେଭଳି ହେଉଛି ଅନ୍ୟ ଖେଳକୁ ସେପରି ପୃଷ୍ଟ ପୋଷକତା କେଉଁଠୁ ଦିଆ ଯାଉଛି?

ଟିକେ ଖୁସି ସ୍ୱରରେ ସତ୍ୟଭାମା କହିଲେ,
-“ଏଣିକି ସବୁଦିନ ସକାଳୁ ମର୍ଣ୍ଣି ୱାକରେ ଗଲାବେଳେ ଏଇ ହକି ଷ୍ଟିକ ନେଇ ଯିବି।”

ଆଶ୍ଚର୍ଯ୍ୟ ହୋଇ ଅଜୟ ବାବୁ ପଚାରିଲେ,

  • କାହିଁକି ଏ ହକି ଷ୍ଟିକଟା ସକାଳୁ ତୁମେ ବୋହିକି ନେବ?ହକି ଖେଳିବ ନା କଣ ? ବିଶ୍ୱକପ ସରିଗଲେ ସମସ୍ତେ ହକିକୁ ପୁଣି ଭୁଲିଯିବେ।”

ମୁରୁକି ହସି ସତ୍ୟଭାମା କହିଲେ,

  • ଏଇ ହକି ଷ୍ଟିକ ବହୁତ କାମରେ ଆସିବ। ବଙ୍କୁଲି ବାଡ଼ି ଭଳି ହୋଇଛି, ତେଣୁ ୱାକିଂ ଷ୍ଟିକ ର କାମ ଦେବ। ବୁଲା କୁକୁର, ଷଣ୍ଢଙ୍କୁ ଆଡେଇ ହେବ। ରାଜଧାନୀରେ ମାତୁଥିବା ଚେନ ମୋବାଇଲ ଲୁଟେରା, ଚୋର ,ବଦମାସ ଙ୍କୁ ଏଇଥିରେ ପାନେ ଦେଇ ବି ହେବ।ସିନେମାରେ ଦେଖିନ, ହକିଷ୍ଟିକ’ରେ କେମିତି ଗୁଣ୍ଡାକୁ ବାଡୋଉଥିଲା ଗୋଟେ ଝିଅ ?ଭୋରୁ ଆମେ ଟିକେ ନିରାପଦ ହୋଇ ଚାଲିବୁ। ଆଉ ସବୁଠୁ ମଜା କଥା କଣ ଜାଣିଛ ?”
    ଆବାକାବା ହୋଇ ଅଜୟ ପଚାରିଲେ,
  • କଣ ?”
  • ସକାଳୁ ଆଉ ଛୋଟ ଆଙ୍କୁଡ଼ିଟା ସାଙ୍ଗରେ ନେବାକୁ ପଡିବନି। ଏଇ ହକି ଷ୍ଟିକରେ ବଢିଆ ଭାବେ ଫୁଲ ତୋଳି ହେବ। ଦେଖୁନ ପୁରା ବଙ୍କୁଲି ବାଡ଼ି ଭଳି ହୋଇଛି ।”

ପାଖରେ ଠିଆ ହୋଇ ସେମାନଙ୍କ କଥା ଶୁଣୁଥିଲା ଝିଅ ମିଲି। ବିରକ୍ତ ହୋଇ ଚାଲି ଯାଉ ଯାଉ ମିଲି କହିଲା,
-“ଭଲ ହୋଇଛି, ହକି ଷ୍ଟିକ’ର ଏଭଳି ବ୍ୟବହାର ଦେଖିବା ପୂର୍ବରୁ ଧ୍ୟାନଚାନ୍ଦ ମରିଯାଇଛନ୍ତି।”

ସତ୍ୟଭାମା ଟିକେ ଆଶ୍ଚର୍ଯ୍ୟ ହୋଇ ସ୍ୱାମୀଙ୍କୁ ପଚାରିଲେ,

-“ହଇଓ, ଏ ଧ୍ୟାନଚାନ୍ଦ ପୁଣି କିଏ ?”
ଟିକେ ଚିନ୍ତା କରି ଅଜୟ ବାବୁ କହିଲେ,
-” ଧ୍ୟାନଚାନ୍ଦ ବୋଧେ ଆମ ଦୂତି ଚାନ୍ଦ’ର କୌଣସି ସମ୍ପର୍କୀୟ ହୋଇଥିବେ।”